ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୨୧୦ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ
ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୨୧୦ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ
ନବରଙ୍ଗପୁର, ୨୦.୦୯.୨୬:
ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଅଭିଳାଷ ପୂରଣ ତଥା ଆର୍ଥି
କ ଅନଗ୍ରସରତା, ବୟସ କିମ୍ବା ଦୂରତା ଯେପରି ମହାପ୍ରଭୁଙ୍କ ଦର୍ଶନରେ ବାଧକ ନହୁଏ, ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମୁଦାୟ ୯୦୦ ଜଣ ୬୦ରୁ ୭୫ ବର୍ଷ ବୟସର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ରାଜ୍ୟସ୍ତରୀୟ ଶୁଭାରମ୍ଭ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଆଭାସୀ ମାଧ୍ୟମରେ କରାଯାଇଛି।
ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ୨୧୦ ଜଣ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଆଜି ଶୁଭାରମ୍ଭ ହୋଇଛି।
ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି ଓ ଶ୍ରୀ ବିଶ୍ୱଜିତ ବର୍ମନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବି.ଏନ୍. ଦରୱାନ ଏବଂ ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ତୀର୍ଥଯାତ୍ରୀଙ୍କ ବସକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହ ସେମାନଙ୍କ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଆଭାସୀ ମାଧ୍ୟମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ସହ ନବରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧ର ତୀର୍ଥଯାତ୍ରୀ ଶ୍ରୀମତୀ ଡୋଲୀ ଚୌଧୁରୀ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗୀ ଗ୍ରାମର ଶ୍ରୀ ସୀମାଞ୍ଚଳ ପାଇକ ଆଲୋଚନା କରି ଏହି ସୁବିଧା ପାଇଁ ଓଡ଼ିଶା ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟଯେ, ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଯାତ୍ରାରେ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ନବରଙ୍ଗପୁର ବ୍ଲକରୁ ମୋଟ ୨୧୦ ଜଣ ତୀର୍ଥଯାତ୍ରୀ ୬ଟି ବସ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ତୀର୍ଥଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ ଜଣ ଏସକର୍ଟ ଅଧିକାରୀ ନିୟୋଜିତ କରାଯାଇଛି। ତୀର୍ଥଯାତ୍ରୀମାନେ ଆସନ୍ତାକାଲି ପୁରୀ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ମହାପ୍ରସାଦ ସେବନ କରିବା ପରେ ସେମାନଙ୍କୁ ନିରାପଦରେ ନିଜ ନିଜ ଘରକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଇଛି।
ପର୍ଯ୍ୟଟନ ଅଧିକାରୀ ଶ୍ରୀ ଜଗଦୀଶ ରାୟଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments
Post a Comment